Unknown

 

 

 

 

 

 

 

 

 

 

 

ପଣସ ଚୋରି

ଶ୍ରୀ ବଳରାମ ଦାସ

 

ପଣସ ଚୋରି

 

କହଇ କଥାଏ ମୁହିଁ ଆହେ ନର

ଭାବକଥା ଭକତି ଶୁଣିଣ ଜନେ ତର

।।

ଭକତର ବୃତ୍ତାନ୍ତ ଯେମନ୍ତ କଥାମାନ

କହିବି କଥାଏ ମନେ ନ ଧରିବା ଆନ

।।

ବଳରାମ ଦାସ ସମନାଥର କୁମର ।

ତାହାଙ୍କ ମହିମା ବଡ଼ ଅପାରୁଁ ଅପାର

।।

ସୁଦୟା କଲେକ ଯହୁଁ ନୀଳଗିରିଧର

ବଳରାମ ଦାସ କଥା ଗଭୀରସାଗର

।।

ଥୋକାଏକ କହିପାରେ ବିବେକ ପଣ୍ଡିତ

ଅବିବେକ ପଣ୍ଡିତର ଆଉ ନାହିଁ ଚିତ୍ତ

।।

ଶୁଣ ସାଧୁଜନମାନେ ଏକଚିତ୍ତ ହୋଇ

ବଳରାମ ଦାସ କଥା କହିବଇଁ ମୁହିଁ

।।

ଏକଦିନେ ବଳରାମ ଦାସ ଆହେ ନରେ

ଉଭା ହୋଇଥିଲେ ଜଗମୋହନ ଘରେ

।।

ସବୁଦିନେ ଅରଗଳି ପାଖେ ରହି ଦାସେ

ବେଦନା ଜଣାଉଁଥାନ୍ତି ଶ୍ରୀହରିଙ୍କ ପାଶେ

।।

ଏକଦିନେ ମହାପ୍ରଭୁ ପାଶକୁ ଗଇଲେ

ଗଭୀର ସୁସ୍ୱର ନାଦେ ବଚନ କହିଲେ

।।

ବୋଇଲେ ହେ ଦାସେ ଆମ୍ଭେ ଖଣ୍ଡେ ଦୂର ଯିବା

ଅନ୍ଧାରି ଗମନ କରି ବହନ ଆସିବା

।।

ଶୁଣି ବଳରାମ ଦାସ ହୋଇଲେ ଉଷତ

ଅନୁଗ୍ରହ କଲେ ମୋତେ ପ୍ରଭୁ ଜଗନ୍ନାଥ

।।

ବଡ଼ ଯେ ସିଂହାର ବେଶ ହୋଇଲେ ବହନ

ସୁବାସ ଜଳରେ ଅଙ୍ଗ ହୋଇଲେ ପୋଛନ

।।

ନାନାବର୍ଣ୍ଣ ପୁଷ୍ପମାଳ ହୃଦରେ ଲମ୍ବାଇ

ଛଇଳ ନାଗର ପ୍ରଭୁ କମଳାର ସାଇଁ

।।

ଗଣ୍ଡସ୍ଥଳେ କୁଣ୍ଡଳ ଦିଶଇ ଢଳହଳ

ମୟୂରଚନ୍ଦ୍ରିକା ଦିଶେ ବଡ଼ଚୂଳ

।।

ଶଙ୍ଖ ଚକ୍ର ଗଦା ପଦ୍ମ ବେନିକରେ ଦୀର୍ଘ

ନୀଳଗିରି ବିଜୟେ ଅପୂର୍ବ କଳାମେଘ

।।

ବୃନ୍ଦାବନେ ହୋଇଥିଲେ ଥୋକେ ଦିନ ବାଘ

ଗେଟମୋଟ ଦେହ ଗୋଟି ଅଟେ ବଡ଼ ଦୀର୍ଘ

।।

କଟିରେ ପୀତବସନ ରତ୍ନ ଓଡ଼ିଆଣୀ

ରୁଣଝୁଣ ହୋଇ ପାଦେ ନୂପୁର ବାଜେଣି

।।

ନାନାରୂପେ କାଛେଣି ପିନ୍ଧରେ ଚକ୍ରଧାରୀ

ଗଭୀର ସୁସ୍ୱର ନାଦେ ଗରୁଡ଼ ହକାରି

।।

ଆଜ୍ଞାପାଇ ଗରୁଡ଼ ଅଇଲା ବେଗେ ଧାଇଁ

ପକ୍ଷୀବର କହୁଅଛି ଶୁଣିମା ଗୋସାଇଁ

।।

କେଉଁ ଅର୍ଥେ ମହାପ୍ରଭୁ ହକାରିଲ ମେତେ

ଶ୍ରୀହରି ବୋଇଲେ ଆମ୍ଭେ ବୁଲିବା ନିମନ୍ତେ

।।

ବହନ ଗରୁଡ଼ ଡେଣା ବିସ୍ତାରିଣ ଦେଲେ

ଗରୁଡ଼ ପିଠିରେ ମହାପ୍ରଭୁ ବିଜେକଲେ

।।

ବଳରାମ ଦାସଙ୍କୁ ଘେନିଣ ସଙ୍ଗତର

ଅନ୍ଧାରି ବିଜୟକଲେ ନୀଳଗିରିବର

।।

ନୀଳଗିରି ତେଜି କରି କମଳାର ସାଇଁ

ଅଳସା ତୋଟାରେ ପ୍ରଭୁ ମିଳିଲେକ ଯାଇଁ

।।

ସେ ତୋଟାରେ ନାନା ବୃକ୍ଷ କରି ଦରଶନ

ମନରେ ଆନନ୍ଦ ହେଲେ କମଳନୟନ

।।

ଜାଇ ଯୁଇ ଠୁଳ ହୋଇ ଅଏଁଲା ପ୍ରତ୍ୟକ୍ଷ

ପେଣ୍ଡି ପେଣ୍ଡି ହୋଇ ଫୁଲ ଫୁଟିଛି ଅସଂଖ୍ୟ

।।

ସୁଗନ୍ଧ ପଣସ ମିଶି ଫୁଲ ଯେ ମରୁଆ

ସୁବାସ ବାସଇ ତହିଁ ଧାଡ଼ି ଧାଡ଼ି କିଆ

।।

ନାନାବୃକ୍ଷ ଠୁଳ ତହିଁ କେ ପାରିବ କହି

ଶ୍ରୀହସ୍ତରେ ରୋପିଛନ୍ତି ପ୍ରଭୁ ଭାବଗ୍ରାହୀ

।।

ସୁବାସ ପଣସ ଦେଖି ଅଳସା ତୋଟାରେ

ମନେ ମନେ ହସ ହସ ରଙ୍ଗିମା ଅଧରେ

।।

ବଳରାମ ଦାସକୁ ବୋଲନ୍ତି ପୀତବାସ

ପଣସ ଗଛରେ ଉଠ ଖାଇବା ପଣସ

।।

ବଡ଼ ତୃଷା ପାଇଅଛି ଲାଗୁଅଛି ଭୋକ

ମିଛ ତୁ ବୋଲିବୁ ଯେବେ ପେଟ ମୋର ଦେଖ

।।

କାଲି ଯେ ମୁଁ ଖାଇଅଛି ଅତି-ଅଳ୍ପ ଭାତ

ତେଣୁ କରି ଆଜ ମୋର ଦେହ ଅଶକତ

।।

ବଳରାମ ଦାସ ତହିଁ ବୋଲନ୍ତି ବଚନ

କହିବି କଥାଏ ମୁହିଁ ଶୁଣ ଭଗବାନ

।।

ଖଣ୍ଟ ଚୋର ବୁଦ୍ଧି ପ୍ରଭୁ ଏଯେ ନ ଛାଡ଼ିଲ

ଜଗିଆ ଦେଖିଲେ ପ୍ରଭୁ ଖାଇଚଟି ମାଡ଼

।।

ପଣସ ଖାଇବା ପାଇଁ ମଣୁଅଛ ସୁଖ

ତୋଟାଳିଆ ଦେଖିଲେ ପାଇବ ବଡ଼ ଦୁଃଖ

।।

ଶ୍ରୀହରି ବୋଇଲେ ଦାସେ ମୋର ତହୁଁ ଶୁଣ

ମୋହର ଥାଆନ୍ତେ କିଛି ଭୟ ନାହିଁ ପୁଣ

।।

ଶୁଣି ବଳରାମ ଦାସ ସନ୍ତୋଷ ମନରେ

ଉଠିଲେ ବହନ ଯାଇ ପଣସ ଗଛରେ

।।

ପାଚଲା ପଣସଯାକ ଚିହ୍ନିକରି ତୋଳି

ହାତକୁ ହାତ ଘେନନ୍ତି ପ୍ରଭୁ ବନମାଳୀ

।।

ସହସ୍ରେ ପଞ୍ଚାଶଗୋଟା ପାଚଲା ପଣସ

କ୍ଷଣକେ ତୋଳିଲେ ତାହା ବଳରାମ ଦାସ

।।

ପାଚଲା ପଣସ ପ୍ରଭୁ ହାତରେ ଧଇଲେ

ନଖ ଘେନି ବକଳ ବିଦାରି ପକାଇଲେ

।।

ସହସ୍ରେ ପଞ୍ଚାଶ ଗୋଟା ପାଚଲା ପଣସ

ଯଶୋଦାନନ୍ଦନ ତହୁଁ କାଢ଼ି ମଞ୍ଜି ରସ

।।

ମଞ୍ଜି ରସ ଏକକରି ହସ୍ତରେ ଘେନିଲେ

ତେତେକ ପଣସ ଏକାକଳେ କରି ଦେଲେ

।।

ପୁଣିହିଁ ଡାକନ୍ତି ତହିଁ ନୀଳଗିରିବର

ଆହେ ବଳରାମ ଦାସ ମୋର ବୋଲ କର

।।

ତୋହରି ପରାୟେ ଲୋକ ସୁଜ୍ଞାନୀ ପୁରୁଷ

ଖଣ୍ଡକ ପେଟକୁ ମୋର ନ କଲୁ ତୁ ତୋଷ

।।

ଆଉ ଗୋଟାଚାରି ଦାସେ ତୋଳିକରି ଆଣ

ବଡ଼ ମିଠା ଲାଗିଲା ପଣସ ହାତେ ପୁଣ

।।

ଶ୍ରୀମୁଖରୁ ଆଜ୍ଞା ପାଇ ମନରେ ଉଲ୍ଲାସ

ଟାପରା କରି ବୋଇଲେ ବଳରାମ ଦାସ

।।

ବଡ଼ ଗିଳା ଅଟ ତୁମ୍ଭେ ଦୁଇଗୋଟି ଭାଇ

ଯେତେହେଁ ଖାଇଲେ ପ୍ରଭୁ ପେଟ ନ ପୂରଇ

।।

ସରୁ ବଗଡ଼ା ହୋଇ ଯେ ଷାଠିଏ ପଉଟି

ତେତେ ଅନ୍ନ ଖାଇଦିଅ ଭାଇ ଦୁଇଗୋଟି

।।

ପତ୍ରେ ଅନ୍ନ ନ ପଡ଼ୁଣୁ ତୁମ୍ଭେ ଦୁଇଜଣ

ଦୁଇ ଗୁଣ୍ଡା କରି ଖାଇ ଦିଅ ଯେ ବହନ

।।

କାଳିକନା ହାଣ୍ଡିରେଣ ଯହୁଁ ଯେ ଖାଇଲା

ତେଣୁକରି କଳାଯାକ ମୁଖରେ ଲାଗିଲା

।।

ବଳରାମ ଦାସ ଯହୁଁ ବୋଇଲେ ଏମନ୍ତ

ଗଭୀର ସୁସ୍ୱର ନାଦେ ବୋଲନ୍ତି ଅଚ୍ୟୁତ

।।

କାହିଁପାଇଁ ବଳରାମ ଦାସେ କୋପ କର

ଆମ୍ଭ ବୋଇଲା କଥାକୁ ମନେ କିପାଁ ଧର

।।

ମୋହର ବଚନ ଘେନି ବଳରାମ ଦାସ

ଅଳସା ତୋଟାରୁ ବେଗେ ତୋଳହୋ ପଣସ

।।

ଶୁଣି ବଳରାମ ଦାସ ମନେ ନାହିଁ ଦକ

ପାଚଲା ପଣସ ଦାସେ ତୋଳିଲେ ଅନେକ

।।

କ୍ଷଣକ ଭିତରେ ଦାସେ ତୋଳି ପକାଇଲେ

ବହନ କରିଣ ଦାସେ ଠୁଳ କରି ଦେଲେ

।।

ବୃକ୍ଷର ମୂଳରେ ବସି ବଳରାମ ଦାସ

ଭୋଜନ କୁ ବାଛିଦେଲେ ପାଚଲା ପଣସ

।।

ପଣସରୁ ବକଳ ବିଦାରି ନଖେ ହରି

ଗର୍ଭକୁ କ୍ଷେପନ୍ତି ନେଇଁ ମଞ୍ଜି ରସ କରି

।।

ପାଚଲା ବକଳଯାକ ପକାନ୍ତି ତଳକୁ

ମଞ୍ଜି ରସ ଏକକରି କ୍ଷେପନ୍ତି ଗର୍ଭକୁ

।।

ବଳରାମ ଦାସ ତହିଁ ପ୍ରସାଦ ପାଇଲେ

ନିସ୍ତରିଲି ନିସ୍ତରିଲି ବୋଲିଣ ବୋଇଲେ

।।

ପଣସ ଭୋଜନ କରି ନୀଳଗିରିବର

ପାରୁଶରେ ରହିଛନ୍ତି ପକ୍ଷିଙ୍କ ଈଶ୍ୱର

।।

ବଳରାମ ଦାସକୁ ବୋଲନ୍ତି ପୀତବାସ

ନିଦ୍ରା ମାଡ଼ୁଅଛି ଦାସେ କରିବା ହେ କିସ

।।

ବଳରାମ ଦାସ ତହିଁ ବୋଲନ୍ତି ବଚନ

ଶେଯ ପାତି ଦେବି ପ୍ରଭୁ ପହୁଡ଼ ବହନ

।।

ବଳରାମ ଦାସ ଶେଯ ବହନ ପାତିଲେ ।

ଏକରଙ୍ଗ କମଳ ବହନ ଓସାରିଲେ

।।

ସାତପୁର କରି ଶେଯ ତହିଁର ଉପରେ

ମୁଚଳାମାନ ଥୋଇଲେ ଆଗ ଯେ ପଛରେ

।।

ସନ୍ତୋଷ ହୋଇଣ ହରି ପହୁତିଲେ ଯାଇ

ପାଚଲା ପଣସ ଖାଇ କମଳାର ସାଇଁ

।।

ଅଳପ ହସିଣ ଯେ ବୋଇଲେ ନନ୍ଦଶିଷ୍ୟ

ଆମ୍ଭ ଆସନରେ ଶୁଅ ବଳରାମ ଦାସ

।।

ବଳରାମ ଦାସ ଯେ ହୋଇଲେ ତହିଁ ପାଖ

ହରେକୃଷ୍ଣ ମହାମନ୍ତ୍ର ଉଚ୍ଚାରିଲେ ମୁଖ

।।

ବଳରାମ ଦାସ ତହିଁ ବୋଲନ୍ତି ହୃଦରେ

ମୋରଠାରୁ ବଡ଼ଭକ୍ତ ନାହିଁ ନା ସଂସାରେ

।।

ମାନବଯୋନିରେ ଜନ୍ମ ହୋଇକରି ମୁହିଁ

ସାତସିନ୍ଧୁ ଡେଇଁ ଲଙ୍କା ଦେଖିଲଇଁ ଯାଇଁ

।।

ସାତକାଣ୍ଡ ରାମାୟଣ ବାନ୍ଧିଲଇଁ ହେଳେ

ମୋତେ ସରିସମ ନାହିଁ ଏ ମହୀମଣ୍ଡଳେ

।।

ଅଭୟପଞ୍ଜରେ ପଶି ମୋତେ ନାହିଁ ଦକା

ଏ ଭବସାଗରେ ପୁଣି ଶ୍ରୀହରି ନଉକା

।।

ବିବେକପଣକୁ ମୋତେ ନାହିଁ ନା ଜଗତେ

ଏକ ଏକ କରିଣ ଯେ କହିବାକ କେତେ

।।

ଏବେ ଆସିକରି ଆମ୍ଭେ ଅଳସା ତୋଟାରେ

ପାଚଲା ପଣସ କେତେ ଖାଇଲୁଁ ସୁଖରେ

।।

ବଳରାମ ଦାସ ଯହୁଁ ବୋଇଲେ ଏମନ୍ତ

ଗର୍ବ ଗଞ୍ଜନିଆ ପ୍ରଭୁ ଜାଣିଲେ ଅନନ୍ତ

।।

ମନେ ମନେ ବିଚାର କରନ୍ତି ଦେବରାଜ

ବଳରାମ ଦାସ କଥା ଜାଣିଲି ମୁଁ ଆଜ

।।

ମୋର ଆସନରେ ବସି ଦାସ ଗର୍ବ କଲା

ମୋରଠାରୁ ବଡ଼ଭକ୍ତ ନାହିଁ ତ ବୋଇଲା

।।

ଜାଣିମା ଏହାର କେଡ଼େ ବଳ ଅଛି ଘାଡ଼େ

ତୋଟାଳିଆ ହାତରେ ମୁଁ ମରାଇବି ମାଡ଼େ

।।

ଚୋର ବୋଲିକ ଏକା ଦାସକୁ ଧରିବେ

ବଳରାମ ଦାସ ଗର୍ବ ଭାଙ୍ଗିବିନା ତେବେ

।।

ଏଥୁଅନ୍ତେ ଧୀରଭାବେ ଶୁଣ ଆହେ ନରେ

ଭିଆଇଲେ ପ୍ରଭୁ ଯାହା ଅଳସା ତୋଟାରେ

।।

ବଳରାମ ଦାସ ତହିଁ ନିଦରେ ପଡ଼ିଲେ

ତୋଟାରେ ଦାସଙ୍କୁ ପ୍ରଭୁ ଛାଡ଼ିଣ ଅଇଲେ

।।

ନୀଳଗିରିକନ୍ଦରେ ହୋଇଲେ ପରବେଶ

ପାଦପଦ୍ମେ ଶରଣ ମୁଁ ବଳରାମ ଦାସ

।।

ଏଥୁ ଅନନ୍ତରେ ତୁମ୍ଭେ ଶୁଣ ସାଧୁ ଜନ

ଅଳସା ତୋଟାରେ ହେଲା ଯେଉଁ କାର୍ଯ୍ୟମାନ

।।

ତୋଟାଳିଆମାନେ ଯାଇ ତୋଟାରେ ହୋଇଲେ

ପଣସ ଗଛକୁ ଯାଇ ଅନାଇଣ ଦେଲେ

।।

ଦେଖିଲେ ପଣସମାନ ନାହିଁକ ବୃକ୍ଷରେ

ସାତ ପାଞ୍ଚ ଦଶ ହୋଇ ଭାବନ୍ତି ସେଠାରେ

।।

ପାଚଲା ପଣସ ଚୋପା କୁଢ଼ କୁଢ଼ ହୋଇ

ପଡ଼ିଅଛି ବୃକ୍ଷମାନଙ୍କର ମୂଳଠାଇଁ

।।

ଦେଖି ତୋଟାଳିଆମାନେ ହୋଇଲେ ତାଟକା

ନୃପତି ଦଣ୍ଡିବ ବୋଲି ସବୁ କଲେ ଶଙ୍କା

।।

ତୋଟାଳିଆମାନେ ଯେ ତୋଟାରେ ଗୋଳ କଲେ

ବଳରାମ ଦାସ ଶୁଣି ବହନ ଉଠିଲେ

।।

ଦେଖିଲେ ଯେ ଜଗନ୍ନାଥ ନାହାନ୍ତି ତା ପାଶ

ତାଟକା ହୋଇଲେ ମନେ ବଳରାମ ଦାସ

।।

ଓଷ୍ଠ କଣ୍ଠ ଶୁଖି ଗଲା ମନରେ ବିକଳ

ପ୍ରଭୁଙ୍କୁ ନ ଦେଖି ଦାସେ ହୋଇଲେ ଆକୁଳ

।।

ତୋଟାଳିଆମାନେ ଦୂରୁ ଦେଖିଲେ ଦାସଙ୍କୁ

ଚୋର ବୋଲି କରି ଯାଇ ଧଇଲେ ତାହାଙ୍କୁ

।।

କେ ବୋଲଇ ମୋରତହୁଁ ଶୁଣ ଆହେ ଭାଇ

ପାଚଲା ପଣସଯାକ ଖାଇଅଛି ଏହି

।।

ବହନ ଏହାକୁ ବାନ୍ଧ ମୋର ବୋଲ ଶୁଣ

ବାନ୍ଧିକରି ନୃପତି-ଛାମୁରେ ଦେବା ପୁଣ

।।

ଆମ୍ଭର ଭଗାରି ସିନା ଅଟଇରେ ଏହି

ମାଉଁସ କାଟିଣ ରାଇ ଗୋଳାଇବା ଦେହୀ

।।

ତୋଟାଳିଆମାନଙ୍କର କମ୍ପଅଛି ହାଡ଼

ବହନ ବାନ୍ଧିଲେ ବଳରାମ ଦାସ ଗୋଡ଼

।।

ବେନିହସ୍ତ ପଛକୁ ବାନ୍ଧିଲେ ଭିଡ଼ିକରି

ଚୋର ଚୋର ବୋଲି ଡାକ ପଡ଼ୁଅଛି ହୁରି

।।

କେ ବୋଲଇ ଦୁର୍ଗାର ଏ ମେରିଆକୁ ଲାଗି

ପୂରିଅଛି ଦେହଗୋଟି କିଛି ନାହିଁ ଭାଗି

।।

ଅଳସାତୋଟାରେ ଯହୁଁ ଖାଇଲା ପଣସ

ତେଣୁକରି ଦେହ ତାର ବାସଇ ସୁବାସ

।।

କେ ବୋଲଇ ଅଳସାତୋଟାରେ ପଶିଥିଲା

ପାଚଲା ପଣସଯାକ ସବୁହିଁ ଖାଇଲା

।।

କୁଢ଼ କୁଢ଼ ହୋଇ ଚୋପା ପଡ଼ିଛି ତୋଟାରେ

ଏଡ଼େକ ଭରସା ଦେଖ ଖାଇଲା ନିର୍ଭରେ

।।

କେ ବୋଲଇ ତେତେକ ପଣସଯାକ ଏକା

କେମନ୍ତେ ଖାଇଲାବୋଲି ଲାଗୁଛି ତାଟକା

।।

କେ ବୋଲଇ ଚାଣ୍ଡେ ଭାଇ ଶିଖୁଅଛି ଚୋର

ଖାଇଲା ତେତେ ପଣସ କିଛି ନାହିଁ ଆର

।।

କେ ବୋଲଇ କୁହୁକ-ଶାସ୍ତ୍ର କି ଶିଖିଅଛି

ଭୟଙ୍କର ଲାଗୁଅଛି ଦେଖି ବେନି ଆଖି

।।

କେ ବୋଲଇ ଚୋରରତ ଭୟ ଭ୍ରାନ୍ତି ନାହିଁ

ଉଭା ହୋଇଅଛି ଚୋର ସିଂହପ୍ରାୟ ହୋଇ

।।

କେହୁ ଚୂନ କଳା ଘେନି ବୁଲି ଚାରିପାଖେ

ଲେପନ କରଇ ବଳରାମ ଦାସ ମୁଖେ

।।

କେହୁ ବିଧା ଗୋଇଠା ଯେ ମାରନ୍ତି ନିର୍ଭରେ

ବାନ୍ଧିନେଇ କରି ଦେଲେ ନୃପତି ଛାମୁରେ

।।

ଚୋର ପଛେ ଗୋଡ଼ାଇ ଅଛନ୍ତି ସର୍ବଲୋକେ

କୁହାଟ ମାରନ୍ତି ଯେ ମଳିଆ ଜନେ ଥୋକେ

।।

ଚୋରୀ କରି ପଣସ ଖାଇଲେ ଲକ୍ଷ୍ମୀସାଇଁ

ବଳରାମ ଦାସ ବନ୍ଧା ପଡ଼ିଲେକ ତହିଁ

।।

ଅଳସାତୋଟାରେ ଥାଇ ଖାଇଲେ ପଣସ

ବନ୍ଧାଇ ଅଇଲେ ତହିଁ ବଳରାମ ଦାସ

।।

ରାଜାଙ୍କର ସିଂହଦ୍ୱାରେ ଚୋର ନେଇ କଲେ

ନୃପତିଙ୍କ ଛାମୁରେ ଯେ ଜଣାଇ କହିଲେ

।।

ସାବଧାନ ହୋଇ ଶୁଣ ନୃପତିଙ୍କ ବର

କାହୁଁ ଦେବ ଧରି ଆଣିଛନ୍ତି ଏକ ଚୋର

।।

ଏ କଥା ଶୁଣିଣ ଯେ ପ୍ରତାପଇନ୍ଦ୍ରଦେବ

ବହନ ମିଳିଲେ ଯାଇଁ ସିଂହଦ୍ୱାର ଠାବ

।।

ହସ୍ତରେ ଯେ ଖଣ୍ଡା ଧରି କୋପେ ନୃପବର

ଲୋକଙ୍କୁ ପୁଚ୍ଛା କରନ୍ତି କାହିଁର ଏ ଚୋର

।।

କହୁଁଛନ୍ତି ତୋଟାଳିଆ ଶୁଣ ହେ ଗୋସାଇଁ

ଅଳସାତୋଟାରେ ଯାଇ ପଶିଥିଲା ଏହି

।।

ପାଚଲା ପଣସଯାକ ଚିହ୍ନି ବାଛିକଚି

ଖାଇଲା ଚୋରାଇ ଦେବ ପେଟ ଅଛି ପୂରି

।।

ଅମୁଣିହାଁ ତୋଟାରେ ପଶିଲା ଦେବ ଚୋର

ନାରଖାର କରି ଦ୍ରବ୍ୟ ଖାଇଲା ଅପାର

।।

କୁଢ଼ କୁଢ଼ ହୋଇ ଚୋପା ପଡ଼ିଛି ତୋଟାରେ

ଏଡ଼େକ ଭରସା ଦେବ ଖାଇଲା ନିର୍ଭରେ

।।

କେତେ ପ୍ରଭୁ ଶାସ୍ତି ଦେବ ଆଣିଛୁ ଛାମୁକୁ

ନାନାବିଧ ଶାସ୍ତି ଆମ୍ଭେ ଦେଲୁଁଟି ଏହାକୁ

।।

ଶୁଣି ନୃପବର କୋପେ ହୋଇ ଥରହର

ସିଂହଦ୍ୱାର ଆଡ଼କରି ଘେନ ଯାଇ ଚୋର

।।

ବେନିଗୋଡ଼େ ଶାଙ୍କୋଳି ଏହାକୁ ବେଗେ ଦିଅ

କଣା କରି ତୋଟିରୁ ରକତ ବେଗେ ପିଅ

।।

ଶୁଣିଣ ଜଗିଆମାନେ ଉଷତ ହୋଇଲେ

ବଳରାମ ଦାସକୁ ବହନ ଘେନିଗଲେ

।।

ହସ୍ତରେ ଝିଞ୍ଜିରି ଲୁହାଶାଙ୍କୋଳି ଗୋଡ଼ରେ

ରଖିଲେ ଯତନ କରି ଗୁମୁଟି-ଭିତରେ

।।

ଅନ୍ନ ପାଣି ନ ଦିଅନ୍ତି ମାନଭର ହୋଇ

ସୁମରନ୍ତି ଏକା ଦାସେ କମଳାରସାଇଁ

।।

ଜୟ ଜୟ ଜଗନ୍ନାଥ ଜଗତର ବ୍ରହ୍ମ

ଜଗତ ଭିତରେ ଯେ ଅଛିଟି ତୁମ୍ଭ ନାମ

।।

ତୁମ୍ଭ ବ୍ୟତିରେକେ ମୋର ନାହିଁ ପ୍ରତିକାର

ଏ ଘୋର ସଙ୍କଟୁ ବାରେ ଉଦ୍ଧରିଣ ଧର

।।

ସପତସମୁଦ୍ରମଧ୍ୟେ ପକାଇଛି ନାବ

ପାରି କର ମହାପ୍ରଭୁ ଅନାଥ ଏ ଜୀବ

।।

ନାବରେ ଅଝାଲ ବାନ୍ଧି ଦେଇଅଛ ଟାଣି

ପାରି କର ମହାପ୍ରଭୁ ଭବତରଙ୍ଗିଣୀ

।।

ବଳରାମ ଦାସ ପ୍ରଭୁ ମଲାଟି ନିଶ୍ଚୟେ

ବିଷମ ଫାଶରୁ ପାରି କର ଦେବରାୟେ

।।

ବଳରାମ ଦାସ ଯହୁଁ ସୁମରିଲେ ହରି

କର୍ଣ୍ଣରେ ଶୁଣିଲେ ତାହା ଦେବ ଚକ୍ରଧାରୀ

।।

ପ୍ରତାପରୁଦ୍ର ଦେବଙ୍କୁ ଆସି ପୀତବାସ ।

ଆଜ୍ଞଦେଲେ ମହାପ୍ରଭୁ ବଚନ ସୁରସ

।।

କାହିଁପାଇଁ ରାଜନ ହୋ ମୋର ଭୃତ୍ୟ ଧରି

କେଉଁ ଅର୍ଥେ ଗୁମୁଟିରେ ଅଛୁ ବନ୍ଦି କରି

।।

ହୋଇଲାଣି ସାତଦିନ ଉପବାସ ମୋର

ଦେହଯାକ ବ୍ୟଥା କରେ ବାହାର ଭିତର

।।

ମାଡ଼ ଖାଇ ପୀଡ଼ା ମୋର ହୋଇଅଛି ଅଙ୍ଗେ

ଅନେକ ମାଇଲୁ ରାଜା ଘେନି ଲୁହାଠେଙ୍ଗେ

।।

ମାଡ଼ ଖାଇ ବଥାଉଚି ମୋହର ଶରୀର

ଶାଙ୍କୋଳି ଯୋଡ଼ାଏ ପୁଣ ଦେଇଛୁ ଗୋଡ଼ର

।।

ଯେତେ ମାଡ଼ ମାଇଲୁ ଦାସଙ୍କୁ ଲୁହାଠେଙ୍ଗେ

ଦାସଙ୍କୁ ନ ବାଜି ମାଡ଼ ବାଜିଲା ମୋ ଅଙ୍ଗେ

।।

ଦେହରେ ମୋ ଶବ୍ଦ ନାହିଁ ମାଡ଼ ଖାଇକରି

ଦୟା ଧର୍ମମାନ ରାଜା ନାହିଁ କି ତୋହରି

।।

ଆମ୍ଭ ଦ୍ରବ୍ୟ ଆମ୍ଭେ ସିନା ଖାଇଲୁ ଚୋରାଇ

ବିଚାର ନ କରି ମାଡ଼ ମାଇଲୁ କିପାଁଇ

।।

ଆମ୍ଭେ ହୋ ରାଜନ ଖାଇଆସିଛୁ ପଣସ

ଯେଉଁ ଚୋର ଧରିଅଛୁ ତାର ନାହିଁ ଦୋଷ

।।

ଆମ୍ଭର ଛାମୁରେ ଯହୁଁ ଗରବ ବହିଲା

ତେଣୁ କରି ଭକ୍ତ ମୋର ବାନ୍ଧଣା ହୋଇଲା

।।

ଯେତେବେଳେ ସେ ଚୋରକୁ ଛାଡ଼ିବୁ ରାଜନ

ତେତେବେଳେ ଆମ୍ଭେ ସିନା କରିବୁ ଭୋଜନ

।।

ନୋହିଲେ ରାଜନ ମୁଁ ଯେ ଉପବାସେ ମଲି

ତୋହ ଯୋଗୁଁ ଅବଶ୍ୟତ ମୁହିଁ ନାଶ ଗଲି

।।

ରାଜାଙ୍କୁ ଏମନ୍ତ କହି କମଳାର ସାଇଁ

ନୀଳଗିରିକନ୍ଦରେ ଯେ ବିଜେ କଲେ ଯାଇ

।।

ଶୁଣିକରି ବେଗେଁ ତେଜି ଉଠିଲା ରାଜନ

ସିଂହଦ୍ୱାରେ ତତକ୍ଷଣ ହୋଇଲା ବହନ

।।

ବଚନ ଭାଷିଲେ ବେଗେ ଜଗିଆ ଲୋକଙ୍କୁ

ବେଗ କରି ଘେନିଆସ ଯାଇ ସେ ଚୋରକୁ

।।

ଶୁଣିକରି ରାଉତେ ମାହୁନ୍ତେ ଚଳିଗଲେ

ବଳରାମ ଦାସଙ୍କୁ ଛାମୁରେ ବେଗେ ଦେଲେ

।।

ଜଗିଆଲୋକଙ୍କୁ ରାୟେ ବୋଇଲେ ବଚନ

ଶାଙ୍କୋଳି ଏହାର ଗୋଡ଼ୁ ଫେଡ଼ ହୋ ବହନ

।।

ରାଜନମୁଖରୁ ଯହୁଁ ଏସନ ଶୁଣିଲେ

ବଳରାମ ଦାସ ଗୋଡ଼ ଶାଙ୍କୋଳି ଫେଡ଼ିଲେ

।।

କିଙ୍କର ପ୍ରାୟେକ ହୋଇ ରହେ ନୃପବର

ବଳରାମ ଦାସ ପାଦେ କଲେ ନମସ୍କାର

।।

ଆମ୍ଭ ଅପରାଧ କ୍ଷମା କର ଆହେ ଦାସେ

ବହନ ଖଟିବ ଯାଇ ନୀଳଗିରିପାଶେ

।।

ଶୁଣି ବଳରାମ ଦାସ ସନ୍ତୋଷ ମନରେ

ଆନନ୍ଦ ଉତ୍ସବ ହୋଇ ଚଳିଲେ ପଥରେ

।।

ହରେକୃଷ୍ଣ ମହାମନ୍ତ୍ର ମୁଖରେ ଉଚ୍ଚାରି

ଆଗେ ବଳରାମ ଦାସ ପଛେ ଦଇତାରି

।।

ଶ୍ରୀ ପୁରୁଷୋତ୍ତମେ ଯାଇ ହୋଇଲେ ପ୍ରବେଶ

ଛାମୁରେ ଖଟିଲେ ଯାଇ ବଳରାମ ଦାସ

।।

କମଳମୁଖକୁ ଚାହିଁ ଅଳପ ହସିଲେ

ବଳରାମ ଦାସ ତହିଁ ବଚନ ଭାଷିଲେ

।।

ତୁମ୍ଭସଙ୍ଗେ ଫଳ ପ୍ରଭୁ ଏମନ୍ତ ପାଇବୁଁ

ଆଉ ଦିନେ ତୁମ୍ଭସଙ୍ଗେ ସଙ୍ଗ ଯେ ନୋହିବୁଁ

।।

ପାଚଲା ପଣଶଯାକ ଖାଇଲୁଁ ଚୋରାଇ

ଆଇଲୁ ତୋଟାରେ ପ୍ରଭୁ ଆମ୍ଭଙ୍କୁ ବନ୍ଧାଇ

।।

ଖାଇଲାବେଳକୁ ସବୁ ଖାଇଲୁ ପଣସ

ତୋଳିଦେଲା ଲୋକର ହୋଇଲା ପ୍ରଭୁ ଦୋଷ

।।

ସହଜେ ପୂର୍ବରେ ମୁହିଁ ଶୁଣିଥିଲି ବସି

ଦେଶଲୋକେ ପଣସ ଖାଇଲେ ଚୋରୀ କରି

।।

ଆପଣା ସୁଖରେ ଲୋକେ ରହିଲେ ଗୋସାଇଁ

ଭଣ୍ଡାରି ମୁଣ୍ଡରେ ଅଠା ଲଗାଇଲେ ନେଇ

।।

ସହଜେ ପଣସ ତୁମ୍ଭେ ଚୋରାଇ ଖାଇଲ

ଭଣ୍ଡାରି ମୁଣ୍ଡରେ ଅଠା ଲଗାଇ ଅଇଲ

।।

ସହଜରେ ପ୍ରଭୁ ତୁମ୍ଭେ ଦେଶରେ ମେଳିଆ

ପଣସ ଖାଇଲ ତୁମ୍ଭେ ଲଗାଇ କଜିଆ

।।

ଯଦ୍ୟପି ତୋଟାରେ ପ୍ରଭୁ ପଡ଼ିଥାନ୍ତ ତୁମ୍ଭେ

ଦୁଇନୟନରେ ସିନା ଦେଖୁଥାନ୍ତୁ ଆମ୍ଭେ

।।

ଭରା ତରକରେ ସିନା ଅଇଲ ପଳାଇ

ତୋଟାଳିଆମାନେ ପିଟିପକାନ୍ତେ ଗୋସାଇଁ

।।

ମୁଣ୍ଡରେ ତୁମ୍ଭର ହାବେ ଭାଙ୍ଗନ୍ତେ କୋଦକା

ମଲି ମଲି ଦେଲି ତୁମ୍ଭେ ପାଉଥାନ୍ତ ଡକା

।।

ତୁମ୍ଭେ ଅବା ବୋଲୁଅଛ ମୁହିଁ ବଡ଼ ଖଣ୍ଟି

ଖଣ୍ଟମାନେ ତୁମ୍ଭର ଯେ ବିଦାରନ୍ତେ ତୋଠି

।।

ଅଇଲ ପଳାଇ ତୁମ୍ଭେ ଭଲ ତରକରେ

ଅଇଲ ଲଗାଇ ବାଦ ମୋହରି ଉପରେ

।।

ତୁମ୍ଭ ଲାଗି ମାଡ଼ ମୁଁ ଯେ ଖାଇଲି ଗୋସାଇଁ

ନିଶ୍ଚିନ୍ତ ହୋଇଣ ତୁମ୍ଭେ ଅଇଲ ପଳାଇ

।।

ଶ୍ରୀହରି ବୋଇଲେ ଦାସେ ତୁମ୍ଭପାଇଁ ମୁହିଁ

ଖାଇଲି ମାଡ଼ ଲୋଚାଏ ବଥାଉଛି ଦେହୀ

।।

ଯେତେବେଳେ ତୁମ୍ଭଙ୍କୁ ମାଇଲେ ଲୁହାଠେଙ୍ଗେ

ତୁମ୍ଭଙ୍କୁ ନ ବାଜି ମାଡ଼ ବାଜିଲା ମୋ ଅଙ୍ଗେ

।।

କେବଳ ମନରେ ତୁମ୍ଭେ ଗରବ ବହିଲ

ତେଣୁ କରି ମାଡ଼ ତୁମ୍ଭେ ଲୋଚାଏ ଖାଇଲ

।।

ଦେଖତ ଆଗରେ ମୋର ବାଜିଅଛି କିଳା

ଅନ୍ଧାର ହୋଇଛି ଘେନିଆସ କି ନା ହୁଳା

।।

ଯେତେଦିନ ଉପବାସ ଥିଲ ଦାସେ ତୁମ୍ଭେ

ଦିନେହେଁ ତ ଗ୍ରାସ ଅନ୍ନ ଭୁଞ୍ଜି ନାହୁଁ ଆମ୍ଭେ

।।

ମୁହଁ କାନ ଶୁଖିଗଲା ମୋର ତୁମ୍ଭେ ଦେଖ

ସାତଦିନ ଯାଏ ମୁଁ ସହିଲି ବଡ଼ ଭୋଖ

।।

ଆଉ ଦିନେ ଦାସେ ତୁମ୍ଭେ ଗର୍ବ ନ କରିବ

ଆମ୍ଭ ସଙ୍ଗତରେ ତୁମ୍ଭେ ଦିନ ବଞ୍ଚୁଥିବ

।।

ଗର୍ବଗଞ୍ଜନିଆ ମୋର ନାମ ନରହରି

କରତଭିତରେ ଦେଖ ମୁହିଁ ଅଛି ପୂରି

।।

ଗର୍ବ ଯେ କରଇ ମୁହିଁ ସହି ନ ପାରଇ

ଗଛରେ ବସାଇ ମୂଳ କତୁରି କାଟଇ

।।

ଜାଣୁଟି କି ଗର୍ବ କଲା ଦଶଗ୍ରୀବ ଖଣ୍ଟି

ବୁକୁ ପୋଡ଼ି ତାହାର ମୁଁ ବିଦାରିଲି ତଣ୍ଟି

।।

ଜାଣୁଟିକି ଗର୍ବ କଲା ଅସୁରୀ ନାୟକା

ବେନିଫାଳ ଚିରି କରି ପକାଇଲି ଏକା

।।

ବକଅର୍ଘାସୁରକୁ ମୁଁ ଟେକିଲି ହସ୍ତରେ

ନେଇ କଚାଡ଼ିଲି ତାକୁ କଇଥ ଗଛରେ

।।

ଜାଣୁଟିକି ଗର୍ବ କଲା ଅସୁରୀ ପୂତନା

ମାରିବ ବୋଲିଣ ହୋଇଥିଲା ବିଷସ୍ତନା

।।

ସ୍ତନ ଭିତରେଣ ହାଦେ ଦେଇଥିଲା ବିଷ

ପ୍ରାଣେ ବଦ୍ଧ କଲି ମୁଁ ଆପଣେ ଗଲା ନାଶ

।।

ଜାଣୁଟିକି ରାବଣ ଭଉଣୀ ସୂର୍ପନଖା

ଗର୍ବ କଲା କାଟିଲି ମୁଁ ନାକ କାନ ଯୋଖି

।।

ଭାବକୁ ନିକଟ ମୁଁ ଯେ ଅଭାବେ ଅଭେଟ

କିଙ୍କର ହୋଇ ଭାବିଲେ ଫେଡ଼ଇ ସଙ୍କଟ

।।

ଅନ୍ତର୍ଯ୍ୟାମୀ ନାଥ ମୁଁ ଯେ ଜଗତେ ବୋଲାଇ

ଲକ୍ଷଯୋଜନରେ ମୋତେ ଡାକିଲେ ଶୁଣଇ

।।

କର୍ଣ୍ଣ ଡେରିଥାଇ ମୁହିଁ ଭକତର ପାଇଁ

ବିପତ୍ତି ପଡ଼ିଲେ ମୁଁ ଯେ ବହନ ରଖଇ

।।

ବଳରାମ ଦାସ ତହିଁ ବୋଲନ୍ତି ବଚନ

କହିବି କଥାଏ ମୁହିଁ ଶୁଣ ଭଗବାନ

।।

ଜଗତର ସବୁକଥା କଲ ପ୍ରଭୁ ଭଲ

ଖଣ୍ଟ ଚୋର ବୁଦ୍ଧି ପ୍ରଭୁ କେଭେ ନ ଛାଡ଼ିଲ

।।

ଅଳସାତୋଟାରେ ପ୍ରଭୁ ପଣସ ଖାଇଲ

ଅକାରଣେ ମୋତେ ସିନା ବନ୍ଧାଇ ଅଇଲ

।।

ଅରଖିତ ହାତରେ ଖାଇଲି ମୁହିଁ ମାଡ଼

ଦେହରୁ ମୋହର ଛାଡ଼ିଗଲା ଖଞ୍ଜାହାଡ଼

।।

ପ୍ରେମଲକ୍ଷ୍ମୀ ଶୁଣିଣ ବୋଇଲେ ହସହସ

କହିବା କଥାଏ ଶୁଣ ବଳରାମ ଦାସ

।।

ଆମ୍ଭ ସଙ୍ଗତରେ ଦାସେ ଲାଗିଥାଅ ଯହୁଁ

ଖାଇଲ ମାଡ଼ ଲୋଚାଏ ଅକାରଣେ ତହୁଁ

।।

ବଳରାମ ଦାସ କହେ ଏସନକ ଶୁଣି

ଅଇଲ କଥାଏ କହି ଖଣ୍ଡିଆଘରଣୀ

।।

ଗୃହସ୍ଥ ତୋହର ଆଗେ ଚୋରାଇ ଖାଇଲା

ଅକାରଣେ ସିନା ମୋତେ ବନ୍ଧାଇ ଅଇଲା

।।

ଖାଇଲା ବେଳକୁ ସବୁ ଖାଇଦେଲା ଏକା

ଦେଖି କରି ମନେ ମୋତେ ଲାଗୁଥିଲା ଦକା

।।

ମଞ୍ଜିରସ ଏକ କରି ତୋହରି ଗୃହସ୍ଥ

ଗର୍ଭରେ ଭରିଣ ସବୁ କଲା ଭସ୍ମୀଭୂତ

।।

ପ୍ରେମଲକ୍ଷ୍ମୀ ଶୁଣିଣ କୋପରେ ଥରହର

ବଚନ କହନ୍ତି ଆଣ୍ଟେ କମ୍ପାଇ ଅଧର

।।

ମୋହରି ଆଗରେ ଦାସ କହୁଅଛୁ ଟାଣ

ଏକା ଠଣା କରେ ମୁହିଁ ଘେନିବି ପରାଣ

।।

କେଉଁ ବାବୁ ଚଖିବାକୁ ଅଛି ଆରେ ତୋତେ

ନାନା ପରକାରେ ଗାଳି ଦେଉଅଛୁ ମୋତେ

।।

ଖଣ୍ଡିଆଘରଣୀ ବୋଲି ବୋଇଲୁ କିପାଁଇ

ତୋହରି ପରାୟେ ରଙ୍କୁ ନୁହଇରେ ମୁହିଁ

।।

ଖଣ୍ଡିଆ ଘରଣୀ ବୋଲି ପକାଇଲୁ ବାଛି

କେଉଁଠାରେ ମୋହରି ଖଣ୍ଡିଆ ହୋଇଅଛି

।।

ଏ କଥା ମୋହରି ଆଗେ କହିଦେବୁ ଆଜ

ନୋହିଲେ ବହନ କରି ନୀଳଗିରି ତେଜ

।।

ନାତି ଆଇଙ୍କର ଲାଗିଅଛି କଳି ଦ୍ୱନ୍ଦ୍ୱ

କରତାଳି ମାରି କରି ନାଚନ୍ତି ଗୋବିନ୍ଦ

।।

ପ୍ରେମଲକ୍ଷ୍ମୀ ବୋଇଲେକ ବଳିଆରେ ଶୁଣ

ମୋହର ପତିକି ଆଶ୍ରେ କରିଅଛୁ ପୁଣ

।।

ମୋହ ଭାତ ଖାଇ ମୋତେ କହୁ ଟାଣବାଣୀ

ଆହୁରି ବୋଇଲୁ ମୋତେ ଖଣ୍ଡିଆଘରଣୀ

।।

ଖଣ୍ଡିଆ ହୋଇଛି କେଉଁ ଠାବରେ ମୋହର

ଏ କଥା ମୋହର ଆଗେ କହରେ ପାମର

।।

ବଳରାମ ଦାସ ତହିଁ କହନ୍ତି ପାଲଟି

ମହାଲକ୍ଷ୍ମୀ ମୁଖଚାହିଁ ନୟନ ତରାଟି

।।

ତୋହର ପତିର ଗୋଡ଼ ହାତ ଯହୁଁ ନାହିଁ

ଖଣ୍ଡିଆ ବୋଲିଣ ତହୁଁ ବୋଇଲି ଗୋ ମୁହିଁ

।।

ଖଣ୍ଡିଆ ଗୋଟିଏ ତୁମ୍ଭେ ପାଇଅଛ ବର

କହୁଁ ନ ସରଇ କଥା ତୁମ୍ଭରି ଛାମୁର

।।

ଏକଦିନେ ଗୃହସ୍ଥ ତୋହର ବଳିଦ୍ୱାରେ

ଭିକ୍ଷା ମାଗୁଥିଲା ଯାଇଁ ବ୍ରାହ୍ମଣରୂପରେ

।।

କାଳିସିନୀ ତୁମ୍ଭେ ଜନ୍ମ ସିନ୍ଧୁମନ୍ଥନରୁ

କି କି ମନ୍ତ୍ର କରି ବୋଧ କଲେ ମହାମେରୁ

।।

ତେଣୁ କରି ପାଇଲୁ ଦେବାଧି ବ୍ରହ୍ମରାଶି

ଜଗନ୍ନାଥପାଦପଦ୍ମେ ଲୀନ ହେଲୁ ଆସି

।।

ଯେତେବେଳେ ସିନ୍ଧୁମନ୍ଥନକୁ ସର୍ବେ ଗଲେ

ପ୍ରଥମ ମନ୍ଥନେ ସର୍ବେ ତୁମ୍ଭଙ୍କୁ ପାଇଲେ

।।

ତୁମ୍ଭଙ୍କୁତ ତାତ ଦେଖି ହୋଇଲେ ଉଷତ

ବିଭା କରାଇଲେ ଆଣି ପ୍ରଭୁ ଜଗନ୍ନାଥ

।।

ବାପଘରୁ ଯେତେବେଳେ ଅଇଲ ଗୋ ତୁମ୍ଭେ

ବେନି ନୟନରେ ସିନା ଦେଖିଅଛୁ ଆମ୍ଭେ

।।

ଆସିଲା ବେଳକୁ ତୁମ୍ଭେ ପିନ୍ଧିଥିଲ କନା

ଏବେ ଆସି ନାନାବର୍ଣ୍ଣେ ପିନ୍ଧୁଅଛ ସିନା

।।

ଆମ୍ଭଙ୍କୁ କେମନ୍ତେ ତୁମ୍ଭେ ଦେଖିବ ନୟନେ

ନିରନ୍ତରେ ଭୋଳ ତୁମ୍ଭେ ହଉଥାଅ ଧନେ

।।

କହିବଇଁ କିସ ମୁଁ ଯେ ତୁମ୍ଭ ମୁଖ ଟେରି

ଚକ୍ଷୁଏ ବୁଜି ଚକ୍ଷୁଏ ଦେଉଥାଅ ଡେରି

।।

ଦେଖିଥିଲେ ହାଦେ ଗୋ ପାରନ୍ତ ସିନା ଜାଣି

ତେଣୁ କରି ସମସ୍ତେ ବୋଲନ୍ତି ସିନା କାଣୀ

।।

ସିଂହଦ୍ୱାରପାଖେ ଦେଖ ତୁମ୍ଭେ କିନା ଯାଇ

କହୁଅଛ ତୁମ୍ଭେ କେତେ ହାତ ଝମକାଇ

।।

ଥୋକେ ଲୋକ ବସିଛନ୍ତି ପଲଙ୍କ ଉପରେ

ଘୋଡ଼ାର ଉପରେ କେହୁ ବସିଛନ୍ତି ଧୀରେ

।।

କେ ଲାଗି ହେଉଛନ୍ତି ଅପୂର୍ବ ପାଟଛତା

କେହୁ ଧନ ଜନ ପାଇ ହେଉଛନ୍ତି ମତ୍ତା

।।

କେହୁ ପିନ୍ଧିଅଛନ୍ତି ଯେ ଷାଠିଏ ଟଙ୍କା ଶାଢ଼ୀ

ପଶନ୍ତରେ ପାଟ ଫୁଲିମାନ ଅଛି ପଡ଼ି

।।

କେହୁ ପିନ୍ଧିଅଛି ଶହେ ଟଙ୍କା ଲୁଗାମାନ

ଘନ ଘନ କରି କେହୁ କରନ୍ତି ଗର୍ଜନ ।

।।

ଥୋକେ ଲୋକେ ଖାଆନ୍ତି ନଡ଼ିଆ ଖଣ୍ଡି ଖଣ୍ଡି ।

ପୋରୁଅ ପରାୟେ କେହୁ କରିଛନ୍ତି ଗଣ୍ଡି

।।

କେହୁ ପିନ୍ଧିଅଛନ୍ତି ଯେ ରଙ୍ଗଶାଢ଼ୀ ବନା

କାହାରି ଦେହକୁ ମିଳୁ ନାହିଁ ଚିରାକନା

।।

କେ ବୁକୁରେ ଲଦିଅଛି ମାଙ୍କଡ଼ା ପଥର

କେହୁ ଅନ୍ନ ନ ପାଇ ଭୋଖରେ ଥରହର

।।

କେହୁ ଅନ୍ନ ନ ପାଇଣ କରୁଛନ୍ତି ଦକା ।

କେ ବୋଲଇ ମଲି ମଲି କେ ପାଡ଼ଇ ଡକା

।।

ତୁମ୍ଭର ଗୋ ଯେବେ ବେନି ନୟନ ଥାଆନ୍ତା

ଥୋକେ ଲୋକଙ୍କର କିପାଁ ଏମନ୍ତ ହୁଅନ୍ତା

।।

ଟେରୀ ଲୋକ ତୁମ୍ଭେତ ତୁମ୍ଭର ନାହିଁ ଦୋଷ

ଯାହାକୁ ଚାହିଁଲେ ସେ ପାଇଲା ପଉରୁଷ

।।

ପ୍ରେମଲକ୍ଷ୍ମୀ ଶୁଣିଣ ଯେ ବେଗେ ଗର୍ଜି ଉଠି

ହସ୍ତରେ ଧଇଲେ ମାଏ ବଡ଼ କରି ଲାଠି

।।

କିବୋଇଲୁ ବଳରାମ ଦାସ ଆରେ ମୋତେ

ଗଞ୍ଜାଇ କାହାଳି ଭ୍ରମ ଛାଡ଼ି ନାହିଁ ତୋତେ

।।

ଏକା ବାଡ଼ିକରେ ତୋତେ ପକାଇବି ମାରି

କେଉଁ ଭରସାରେ ମୋତେ କହିଲୁ ରେ ଟେରୀ

।।

ନାତିଆଇଙ୍କର ଲାଗିଅଛି କଳିଦ୍ୱନ୍ଦ୍ୱ

କରତାଳି ମାରି କରି ନାଚନ୍ତି ଗୋବିନ୍ଦ

।।

ପ୍ରେମଲକ୍ଷ୍ମୀ ବୋଲନ୍ତି ଯେ ବଳିଆରେ ଶୁଣ

କେଉଁ ଭରସାରେ ତୁରେ କରି ଅଛୁ ଟାଣ

।।

ଟାଣ ପଣ ଗରବ ତୁମ ମନରୁ ନ ଛାଡ଼ୁ

ମୁଣ୍ଡରେ ତୋହର ହାତେ ଭାଙ୍ଗିବିରେ ଖଡ଼ୁ

।।

ମୁଣ୍ଡ ପିଟି ହାତେ ତୋର କରିଦେବି ଚୁନା

ପୋଡ଼ ପିଠା କରିବି ମିଶାଇ ହାତେ ଛେନା

।।

ଅଷ୍ଟ ବେତାଳଙ୍କୁରେ ତୋହର ଦେବି ମୁଣ୍ଡ

ଅର୍ଦ୍ଧଶୋଷିଣୀଙ୍କି ଦେବି ତୋର ଗଣ୍ଡିଖଣ୍ଡ

।।

ଶତେ ଯେ ଅର୍ଦ୍ଧଶୋଷିଣୀ ତ୍ରେତୟାଯୁଗରେ

ଊଣା କରି ଧରି ଅଛି ରକତ ଖପରେ

।।

ଦେହ କୋହ ହେଉଅଛି ପୂରି ନାହିଁ ପେଟ

ତେଣୁ ଜଗିଅଛି କୁମ୍ଭୀରର ପୋଡ଼ାକାଠ

।।

ସେହି ଗୋସାଣୀଙ୍କି ଆଜ ଦେବି ତୋତେ ହାଣି

ମୋହର ପ୍ରତିଜ୍ଞା ଦାସ ନାହୁଁ କିରେ ଶୁଣି

।।

ବଳରାମ ଦାସ ଯହୁଁ ଶୁଣିଲେ ଏମାନ

ରୋମଟାଙ୍କୋରାଇ ଦାସେ କରନ୍ତି ଗର୍ଜ୍ଜନ

।।

କେତେ କହୁଅଛ ତୁମ୍ଭେ ହାତ ଝମକାଇଁ

ତୁମ୍ଭର ଆଗରେ କେହି ନ ପାରନ୍ତି କହି

।।

କାହିଁ ପାଇଁ ମାଏ ଏଡ଼େ ହୋଇଛୁ ଫୁଲଣା

କହିଲେ ହଲଇ ତୁମ୍ଭ ନାକ ସୁନାଗୁଣା

।।

ବାହିବନ୍ତ ଧନବନ୍ତ ଏବେ ଗୋ ହୋଇଲ

ବାପଘରେ ଖଇଛଡ଼ା ଖୁଣ୍ଟି ଖାଉଥିଲ

।।

ଆମ୍ଭେ ଜାଣିମାଏ ତୁମ୍ଭ ସେ ଦିନ ବାରତା

ବେନିହାତେ ବାନ୍ଧି ଥିଲ ବେନିଖଣ୍ଡି ସୂତା

।।

ବରୁଣରାଜାର ଘରୁ ଆସିବାର ବେଳେ

ମୁହିଁ ଦେଖିଥିଲି ଗୋ ତୁମ୍ଭଙ୍କୁ ବେନି ଡୋଳେ

।।

ଏବେ ହାତେ ପୂରାଇଲ ସୁବର୍ଣ୍ଣର ବାହୀ

ତୁମ୍ଭର ଚାତୁରୀମାନ କେ ପାରିବ କହି

।।

ନାନା ଅଳଙ୍କାରମାନ ମିଳିଲା ଦେହକୁ

ନୟନରେ ତୁମ୍ଭେ ଚିହ୍ନି ପାରିବ କାହାକୁ

।।

ବାପଘରେ ପିନ୍ଧିଥିଲ ଛିଣ୍ଡାକନା ଲୁଗା

ଏବେ ଆସି ପିନ୍ଧିଲ ଷାଠିଏ ଟଙ୍କା ଲୁଗା

।।

ଭୂମିରେ ପଣନ୍ତ ଏବେ ଯାଉଅଛି ଲୋଟି

କହିବାକୁ ପାରିଲ ଗୋ ନୟନ ତରାଟି

।।

ବାପଘରେ ନ ମିଳଇ ସୁଗନ୍ଧ ଅୟଁଳା

ତୁମ୍ଭଙ୍କୁ ସେ ଦୟା କଲେ ପ୍ରଭୁ ଚକ୍ରଡୋଳା

।।

ନାତି ଆଇଙ୍କର ତହିଁ ଲାଗିଅଛି ଲୀଳା

ଏମନ୍ତ ସମୟେ ଆସି ମିଳିଲେ ବିମଳା

।।

ମଝିରେ ପଣସ କଳି ଭଙ୍ଗାଇଣ ଦେଲେ

ମହାଲକ୍ଷ୍ମୀ ମୁଖ ଚାହିଁ ବିମଳା କହିଲେ

।।

ବଳରାମ ଦାସ ମାଏ ଅଟନ୍ତି ଆମ୍ଭର

କେଉଁ ଅର୍ଥେ କଳି ମାଏ ତୁମ୍ଭର ତାଙ୍କର

।।

ପ୍ରେମଲକ୍ଷ୍ମୀ ବୋଲୁଛନ୍ତି ଶୁଣ ଗୋ ବିମଳା ।

ତୁମ୍ଭେ ଏକା ବୋଲୁଅଛ ଅସାର ବିମଳା

।।

କହିବି କଥାଏ ମୁହିଁ ଶୁଣ ଗୋ ମିତଣି

ତୁଛାର ବୋଇଲା ମୋତେ ଖଣ୍ଡିଆ ଘରଣୀ

।।

ଅଳସାତୋଟାରେ ଯାଇଁ ଚୋବାଇ ପଶିଲା

ତୋଟାଳିଆ ହାତେ ମାଡ଼ ଲୋଚାଏ ଖାଇଲା

।।

ତେଣୁ କରି ଚଳିଣ ମରୁଛି ଆଗୋ ମିତ

କିଛି ବୋଲି ନାହିଁ ମୁହିଁ ତୁମ୍ଭରି ଶପଥ

।।

ବିମଳା ବୋଇଲେ ତୁମ୍ଭେ ଶୁଣ ଗୋ କମଳା

ଗୋଳ ଦ୍ୱନ୍ଦ୍ୱ ଛାଡ଼ି କରି ଚା କରିବା ମେଳା

।।

ଶୁଣି କରି ପ୍ରେମଲକ୍ଷ୍ମୀ ହୋଇଲେ ସନ୍ତୋଷ

ସାଧୁଜନମାନେ ତୁମ୍ଭେ ନ ଧରିବ ଦୋଷ

।।

ସେହି ବଳରାମ ଦାସ ଲଙ୍କା ଯାଇ ପାରେ

ଶୁଭିଲା ବଡ଼ ମହିମା ତିନି ଭୁବନରେ

।।

ସାଧୁଜନମାନେ ଦୋଷ ନ ଧର ମୋ ପରେ

ଶୁଣିଣ ମହାପାତକ ନାଶ କର ନରେ

।।

ଯେତେ ଲୋକ ଆସିଅଛ ହରି କଥା ପାଇଁ

ତୁମ୍ଭ ତହୁଁ ଭାଗ୍ୟବନ୍ତ ଅଛି ଆର କାହିଁ

।।

ହରି ହରି ବୋଲି ତୁମ୍ଭେ ସମସ୍ତେ ବୋଲିବ

ଗଗନମାର୍ଗକୁ ବୋଲି ଶବଦ ଶୁଭିବ

।।

Image